Thursday, June 13, 2024
Stories

ଆମ ଗାଁ ଆମ ଘର (୨୧)

ଆମ ଗାଁ ଆମ ଘର
୨୧
================================
ଗୁରୁ ହିଁ ସାକ୍ଷାତ ଈଶ୍ବର
================================
ଗୁରୁଙ୍କୁ “ଈଶ୍ୱର” କୁହାଯାଏ; କିନ୍ତୁ କୌଣସି ଶିକ୍ଷକ ଈଶ୍ବର ପଦବାଚ୍ୟ ନାଁ ନାହିଁ ତାହା ତାଙ୍କ ଆଚରଣରୁ ହିଁ ଜଣାଯାଏ। ଆଜିକାଲି ଅନେକ ନାମୀ ବିଦ୍ୟାଳୟରେ/ମହାବିଦ୍ୟାଳୟରେ ଶ୍ରେଣୀରେ ଦିଆଯାଉଥିବା ଶିକ୍ଷାଦାନର କିଛି ମୂଲ୍ୟ ନାହିଁ। କିଛି ଶିକ୍ଷକ କୋଚିଙ୍ଗ୍ ସେଣ୍ଟର ଖୋଲି ସେଠାରେ ନାମଲେଖାଉଥିବା ପିଲାଙ୍କ ଠାରୁ ମୋଟା ଅଙ୍କ ନେଇ ହିଁ ସ୍କୁଲ/କଲେଜରେ ସେମାନଙ୍କୁ ଅଉଲ ନମ୍ବର ଦିଅନ୍ତି। ସେପରି ଗୁରୁ ହୁଅନ୍ତୁ କିମ୍ବା ବ୍ୟକ୍ତିଗତ ଟିଉସନ୍ କରି ଛାତ୍ର ଛାତ୍ରୀଙ୍କର ଯୌନ ଶୋଷଣ କରୁଥିବା ଶିକ୍ଷକ ହୁଅନ୍ତୁ,ସେମାନଙ୍କୁ ଈଶ୍ବର କହିବା,ଈଶ୍ବରଙ୍କୁ ଅପମାନ ଦେବା ସହିତ ସମାନ।

ଆଜିକାଲି ଅନେକ ଘରୋଇ ସ୍କୁଲ ବ୍ୟବସାୟିକ ମନୋବୃତ୍ତି ନେଇ ଖୋଲାଯାଉଛି;”ଇଂରାଜୀ ମିଡିୟମ” ନାମରେ ଶିକ୍ଷାଦାନର ତାତ୍ସଲ୍ୟ କରାଯାଉଛି। ବିଦ୍ୟାଳୟର ମୁଖ୍ୟଙ୍କର ମୂଳ ଧନ୍ଦା ବ୍ୟବସାୟ କିମ୍ବା କଣ୍ଟ୍ରାକ୍ଟରୀ କିମ୍ବା ଚାକିରି ରହୁଛି।ସେମାନେ ଶିକ୍ଷାଦାନକୁ ପାର୍ଶ୍ଵ ବ୍ୟବସାୟ(side business)ଭାବରେ ପରିଚାଳିତ କରୁଛନ୍ତି। ଯେଉଁ ଶିକ୍ଷକମାନଙ୍କୁ ସେଠାରେ ନିଯୁକ୍ତି ମିଳୁଛି ସେମାନେ ତୃତୀୟ ଶ୍ରେଣୀ ମାଟ୍ରିକ ପାସ୍/ଗ୍ରାଜୁଏଟ୍ ହୋଇଥିବାରୁ ଅନନୋପାୟ ହୋଇ ମାସିକ ଦେଢହଜାର କିମ୍ବା ଦୁଇ ହଜାର ଟଙ୍କା ଦରମାରେ ଚାକିରି କରୁଛନ୍ତି। ସେଭଳି ଶିକ୍ଷକଙ୍କ ଠାରୁ ଆମେ ଗୁଣାତ୍ମକ ଶିକ୍ଷାଦାନ କିପରି ଆଶା କରିବା ?
ଆମ ସମୟରେ ଏହି ଘରୋଇ ଇଂରାଜୀ ବିଦ୍ୟାଳୟ ଗୁଡ଼ିକ ନଥିଲା ଏବଂ ଶିକ୍ଷାକୁ ବ୍ୟବସାୟ ସହିତ ଯୋଡ଼ା ଯାଇନଥିଲା।ସେ ସମୟରେ ଶିକ୍ଷାଦାନ ପାଇଁ ମାନସିକତା ଥିବା ବ୍ୟକ୍ତିମାନେ ଶିକ୍ଷକତା କରୁଥିଲେ। ସେମାନେ ଜ୍ଞାନର ବାରିଧି ଥିଲେ।ଜ୍ଞାନ ବିତରଣ କଲେ ବୃଦ୍ଧି ହୁଏ ଏବଂ ସମାଜର ମଙ୍ଗଳ ହୁଏ ବୋଲି ଯାହା କୁହାଯାଏ, ତାହା ସେମାନଙ୍କ ପାଖରେ ପ୍ରଜ୍ଞା ଭାବରେ ରହିଥିଲା। ସେଥିପାଇଁ ସେମାନଙ୍କୁ “ପ୍ରାଜ୍ଞ ଗୁରୁଦେବ” ଆସନରେ ଛାତ୍ର ଏବଂ ଅଭିଭାବକ ମାନେ ବସାଇଥିଲେ। ଆଜିକାଲିର କିଛି ଗୁରୁଦେବଙ୍କୁ “ଅଜ୍ଞଗୁରୁଦେବ” ବୋଲି କହିବା ଠିକ୍ ହେବ। ତତ୍କାଳୀନ ବିଦ୍ୟାଳୟରେ ବିଦ୍ୟାଦାନ,ମହାଦାନ ଉକ୍ତିକୁ ସାର୍ଥକ କରିଥିବା, ଅନେକଙ୍କ ମଧ୍ୟରୁ କେବଳ ଜଣେ ଶିକ୍ଷକଙ୍କ ଉଦାହରଣ ମୁଁ ଏଠାରେ ଦେବି।

ତାଙ୍କ ନାମ ଯୁଗଳ କିଶୋର ପାଣିଗ୍ରାହୀ। ଆଜି ସେ ସ୍ବର୍ଗତ।ତାଙ୍କୁ ଓଡ଼ିଶାରେ ସମସ୍ତେ ପ୍ରବୀଣ ଗଣିତ ଶିକ୍ଷକ ଭାବରେ ଜାଣିଥିଲେ। ସ୍ବର୍ଗତ ଶ୍ୟାମସୁନ୍ଦର ମହାପାତ୍ର ଏବଂ ଆଦିକନ୍ଦ ମହାପାତ୍ରଙ୍କ ସହିତ ମିଶି ସେ ବୀଜଗଣିତ ଓ ପାଟୀଗଣିତ ବହି ଦୁଇଟି ପ୍ରଣୟନ କରିଥିଲେ।Board of Secondary Education, Odisha ଦ୍ୱାରା ତାହା ସ୍ବୀକୃତି ଲାଭ କରି, ମାଟ୍ରିକରେ ପାଠ୍ୟ ପୁସ୍ତକ ଭାବରେ ବହୁବର୍ଷ ପର୍ଯ୍ୟନ୍ତ ପ୍ରଚଳିତ ଥିଲା। ସେ ଇଂରାଜୀ ସାହିତ୍ୟରେ ମଧ୍ୟ ଧୂରନ୍ଧର ଥିଲେ।ସେ ନିଜେ ଜଣେ ଭଲ ଛାତ୍ର ଥିଲେ।୧୯୫୧ ମସିହାରେ ରାମଚନ୍ଦ୍ର ଉଚ୍ଚ ବିଦ୍ୟାଳୟରୁ କୃତିତ୍ୱ ସହିତ ଉତ୍ତୀର୍ଣ୍ଣ ହୋଇ ସେ ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟରୁ ଗଣିତରେ ଅନର୍ସ ସହିତ ସ୍ନାତକ ହୋଇପାରିଥିଲେ।ସେ ଚାହିଁଥିଲେ ପ୍ରଶାସନିକ କ୍ଷେତ୍ରରେ ବଡ଼ ଚାକିରି କରି ସୁନାମ ସହିତ ଅଧିକ ଅର୍ଥ ଉପାର୍ଜନ କରିପାରିଥାନ୍ତେ। କିନ୍ତୁ ତାହା ନକରି ସେ ଶିକ୍ଷାଦାନକୁ ଜୀବନର ବ୍ରତ ଭାବରେ ଧରିନେଇଥିଲେ।

ଦୀର୍ଘଦିନ ରାମଚନ୍ଦ୍ର ଉଚ୍ଚ ବିଦ୍ୟାଳୟରେ ଶିକ୍ଷକତା କରି ସେ ଖୁବ୍ ସୁନାମ ଅର୍ଜନ କରିଥିଲେ।୮-୯-୧୯୭୨ ମସିହାରୁ ୨୩-୬-୭୬ ମସିହା ପର୍ଯ୍ୟନ୍ତ ଏବଂ ୮-୯-୧୯୮୬ ମସିହାରୁ ୩୨-୫-୧୯୮୭ ପର୍ଯ୍ୟନ୍ତ ଦୁଇଟି ସମୟଖଣ୍ଡରେ ସେ ଆମ ସ୍କୁଲରେ ପ୍ରଧାନ ଶିକ୍ଷକ ରହି ଏହି ମଣିଷ ତିଆରି କାରଖାନାରୁ ଅସଂଖ୍ୟ କୃତି ଛାତ୍ରଙ୍କ ଜୀବନ ଗଢ଼ିଛନ୍ତି। ଖଣ୍ଡପଡ଼ାର ମାଟି ସେ ମହାଶୟଙ୍କର ଋଣ ଶୁଝି ପାରିବନାହିଁ। ତାଙ୍କୁ ଓଡ଼ିଶା ସରକାର ୧୯୮୬-୮୭ ମସିହାରେ “ଓଡ଼ିଶା ମାଥମେଟିକାଲ୍ ସୋସାଇଟି” ତରଫରୁ ସର୍ବୋତ୍ତମ ଶିକ୍ଷକ ରୂପେ ବିବେଚନା କରି ସମ୍ବର୍ଦ୍ଧିତ କରିଛନ୍ତି। ଏହି ମହାନ୍ ବ୍ୟକ୍ତି ତାଙ୍କ ବ୍ୟକ୍ତିଗତ ଜୀବନରେ ଅତ୍ୟନ୍ତ ଶୃଙ୍ଖଳିତ ଏବଂ ସଦାଚାରୀ ଥିଲେ।କଥାରେ ଅଛି,ସଜ ଗୋବରରେ ଅଁଷେଇ/ ମାଛି ପକାଇବା ଲୋକଙ୍କର ସମାଜରେ ଅଭାବ ନାହିଁ। ଏଭଳି ଜଣେ ଆଦର୍ଶ ଗୁରୁଙ୍କ ନାଁକୁ,ସ୍କୁଲରେ ପଢୁଥିବା ଜଣେ ଝିଅ ପିଲା ନାଁ ସହିତ ଯୋଡି,ଏଣୁତେଣୁ ଲେଖି ଥରେ କିଛି ପିଲା/ବ୍ୟକ୍ତି ଖଣ୍ଡପଡ଼ାର ବିଭିନ୍ନ ସ୍ଥାନରେ ପୋଷ୍ଟର ମାରିଥିଲେ।ସଙ୍ଗେ ସଙ୍ଗେ ସେ ପୋଷ୍ଟର ଗୁଡିକ ଚିରିବା ବ୍ୟବସ୍ଥା କରାଯାଇଥିଲା। ଆମେମାନେ ସେ ସମୟରେ ନବମ ଶ୍ରେଣୀର ଛାତ୍ର। ଯେଉଁଦିନ ଏ ଘଟଣା ଘଟିଲା ତା’ପରଦିନ ସକାଳେ ଆମ କ୍ଲାସରେ ସାରଙ୍କର ଗଣିତ ପୀରିୟଡ ଥାଏ।ଆମେ ପ୍ରମାଦ ଗଣୁଥାଉ।ପାଠ ନଆସିଲେ ସାର୍ ଆଜି ନିଶ୍ଚୟ ପିଟାପିଟି କରିବେ; କିଛି ଦୁଷ୍ଟପିଲାଙ୍କ ଦ୍ବାରା ହୋଇଥିବା ଅପରାଧ ପାଇଁ ପ୍ରତିଶୋଧ ଭାବ ସାରଙ୍କ ମନରେ ହୁଏତ ଆସିପାରେ ।

କିନ୍ତୁ କ୍ଲାସକୁ ଆସି ସାର୍ ଅନ୍ୟ ଦିନପରି ନିର୍ଲିପ୍ତ ନିର୍ବିକାର ଭାବରେ ପାଠ ପଢାଇଲେ। ସାରଙ୍କ ମୁହଁରେ ସାମାନ୍ୟତମ ଭାବାନ୍ତର ନଥିଲା।”ହାତୀ ତା ବାଟରେ ଯାଉଛି, କୁକୁର ଯେତେ ଭୁକନ୍ତୁ ତାର ଯାଏ ଆସେ ନାହିଁ” ଏହି ଉକ୍ତିର ଯଥାର୍ଥତା ସେଦିନ ଆମେ ଯୁଗଳ ସାରଙ୍କ ମୁହଁରେ ପଢିପାରିଥିଲୁ।

କେମିତି ପାଠ ପଢେଇ, ଗଣିତରେ ମୁର୍ଖ ଥିବା ପିଲାକୁ ଟାଣୁଆ କରାଯାଇପାରେ ତାଙ୍କୁ ଠିକ୍ ଜଣାଥିଲା।ତାର ଉଦାହରଣ ମୁଁ ନିଜେ।ଆଗରୁ କହିଛି ମୁଁ ଅଙ୍କରେ ଦୁର୍ବଳ ଥିଲି।କେବଳ ଆଲଜେବ୍ରାରେ ଭଲ ନମ୍ବର ରହୁଥିଲା। ତେଣୁ ନବମ ଶ୍ରେଣୀରେ ଯେତେବେଳେ ଅତିରିକ୍ତ (ଅପସନାଲ୍) ବିଷୟ ନବାକଥା ପଡ଼ିଲା ଫିଜିଓଲୋଜି ହାଇଜିନ୍ କିମ୍ବା ସଂସ୍କୃତ ନେବାପାଇଁ ମୁଁ ମନେମନେ ଚିନ୍ତା କରୁଥାଏ; କିନ୍ତୁ ଆତ୍ମସମ୍ମାନ ଦୃଷ୍ଟିରୁ ଗଣିତ ନେବାପାଇଁ ଇଚ୍ଛା ଥାଏ।ଦିନେ ସାରଙ୍କ ପାଖରେ ସକାଳୁ ସକାଳୁ ପହଞ୍ଚି ପଚାରିଲି… ସାର୍ କେଉଁ ଅପସନାଲ୍ ନେଲେ ଭଲ ହେବ?ଅନ୍ୟ କେଉଁ ଗଣିତ ଶିକ୍ଷକ ହୋଇଥିଲେ କହିଥାନ୍ତେ…ତୁ ଗଣିତରେ ଦୁର୍ବଳ, ତେଣୁ ଗଣିତ ବ୍ୟତୀତ ଅନ୍ୟ ଯେଉଁ ବିଷୟ ନଉଚୁ ନେ। କିନ୍ତୁ ସାର୍ କହିଲେ..ତୋର ପାଟୀଗଣିତ ଭଲ ନହେଲେ କଣ ହେଲା,ବୀଜ ଗଣିତ ଜ୍ୟାମିତି ଓ ତ୍ରିକୋଣମିତିରେ ତ ଭଲ କରିବାକୁ ଚେଷ୍ଟା କରିପାରିବୁ। ତେଣୁ ତୁ ଗଣିତକୁ ଅତିରିକ୍ତ ବିଷୟ ନେବା ଉଚିତ।” ସାରଙ୍କ କଥା ମାନି ମୁଁ ଗଣିତକୁ ଅତିରିକ୍ତ ବିଷୟ ଭାବେ ଗ୍ରହଣ କଲି।ସାରଙ୍କ ପାଖକୁ ଦିଗଦର୍ଶନ ପାଇଁ (ଟିଉସନ ନୁହେଁ) ଅନେକ ଥର ଯାଇଥିଲି।ମାଟ୍ରିକ ପରୀକ୍ଷାରେ ଗଣିତରେ ୧୦୦ରୁ ୮୪ ନମ୍ବର ରଖି ପାଶ୍ କରିଥିଲି।ସାରଙ୍କର ଏହି ଉପଦେଶ ମୋ ଜୀବନର ଦିଗ ସମ୍ପୂର୍ଣ୍ଣ ବଦଳେଇ ଦେଇଥିଲା।

ସମୟ କଡ଼ ଲେଉଟାଇଛି।ଯୁଗଳ ସାର୍ ଆଜି ନାହାଁନ୍ତି।ବଡ଼ କ୍ରୂର କାଳ ବଡ଼ ଅବିଶ୍ବାସୀ,ହାବୋଡି ଯାଏ ଟି ଅକସ୍ମାତ ଆସି।ଅବସର ପ୍ରାପ୍ତିର ଅଳ୍ପ ଦିନ ଭିତରେ ସାର୍ କର୍କଟ ରୋଗରେ ପୀଡିତ ହେଲେ।ମୁଁ ସେ ସମୟରେ ହାଇଦ୍ରାବାଦରେ ଅମୀରପେଟ୍ ଅଞ୍ଚଳରେ ସରକାରୀ ବାସଭବନରେ ସପରିବାର ରହୁଥାଏ।ଦିନେ ସନ୍ଧ୍ୟା ସମୟରେ ବମ୍ବେରୁ ଫୋନ୍ ଆସିଲା ଯେ ଯୁଗଳ ସାର୍ ଟାଟା ମେମୋରିଆଲ କ୍ୟାନ୍ସର ହସ୍ପିଟାଲରେ ପରାମର୍ଶ ପରେ ହାଇଦ୍ରାବାଦ ଦେଇ ଭୁବନେଶ୍ୱର ଫେରିବେ।ଏୟାରପୋର୍ଟକୁ ଗଲି ସାରଙ୍କୁ ଆଣିବା ପାଇଁ।ସାଙ୍ଗରେ ତାଙ୍କ ସାନପୁଅ ଅଶୋକ ଥାଏ। ସେଦିନ ରାତିରେ ସାରଙ୍କ ସହିତ ବିଗତ ଦିନ ବିଷୟରେ ଅନେକ କଥାବାର୍ତ୍ତା ହେଲି।ଗଳାରେ କ୍ୟାନସର ଯୋଗୁଁ ସାର୍ ଖାଦ୍ୟ ଖାଇ ପାରୁ ନଥିଲେ।ଖିରରେ ରୁଟି ଭିଜାଇ ଦୁଇଖଣ୍ଡ ମାତ୍ର ଖାଇ ପାରିଲେ।ତା ପରଦିନ କୋଣାର୍କ ଏକ୍ସପ୍ରେସରେ, ଭୁବନେଶ୍ୱର ଯିବାପାଇଁ ସାରଙ୍କୁ ବସେଇ ଘରକୁ ଫେରି ଆସିଲି।ସାରଙ୍କ ଅବସ୍ଥା ଦେଖି ଆଖିରେ ଲୁହ ମନା ମାନୁ ନଥାଏ।ସେଇ ମୋର ଯୁଗଳ ସାରଙ୍କ ସହିତ ଶେଷ ଦେଖା।
ତାର ଅଳ୍ପଦିନ ପରେ ସାରଙ୍କ ଦେହାନ୍ତ ଖବର ପାଇଲି।

କ୍ରମଶଃ…

Click to rate this post!
[Total: 0 Average: 0]

Leave a Reply