Wednesday, February 28, 2024
Stories

ଆମ ଗାଁ ଆମ ଘର (୧୮)

ଆମ ଗାଁ ଆମ ଘର
୧୮
================================
ଭୂତପ୍ରେତ,ଡାହାଣୀ ,ଚିରୁଗୁଣି’ଙ୍କ ଡର
================================
ଡର ସାଧାରଣତଃ ଅସ୍ଥି ମଜ୍ଜାଗତ ହୋଇଥାଏ। ପରିବେଶ ଯଦି ଆମ ମନରେ ଭୂତ ପ୍ରେତ ବିଷୟରେ ପିଲାଦିନରୁ ବିଶ୍ବାସ ଜନ୍ମାଇଥାଏ ତାହେଲେ ପାଳ ଦଉଡ଼ି ଦେଖିଲେ ଆମକୁ ସାପ ଦେଖିଲା ପରି ମନେହୁଏ। ପିଲାଦିନେ ସେପରି ଥିଲା ଆମର ପରିବେଶ।ଆମର ଜଣେ ନାନୀ ଥିଲେ;ଭୂତ କାହାଣୀ ଏମିତି ବନେଇ ଚୁନେଇ ସେ କହନ୍ତି ଯେ ଲାଗେ ଅନ୍ଧାର ହେଲେ ପିଲାକୁଟୁମ୍ବ ଧରି ଭୂତମାନେ ଆମ ବାଡିପଟେ କେବଳ ଆମକୁ ଖାଇବାପାଇଁ ଜଗି ରହିଛନ୍ତି।ପାଖରେ ମଶାଣି।ପ୍ରତି ମାସରେ ପ୍ରାୟ ଗୋଟିଏ, ଦୁଇଟି ଶବ ପୋଡ଼ା ହୁଏ।ଆମକୁ ଲାଗେ ମୃତ ବ୍ୟକ୍ତିଙ୍କର ପ୍ରେତମାନେ ଆସି ସତେ ଯେମିତି ଆମ ବାଡି ଆମ୍ବଗଛରେ ବସି ଆମ ଅଗଣାକୁ ଅନେଁଇ ରହିଛନ୍ତି।ସଞ୍ଜ ହେଲେ ଲାଗେ ଯେମିତି ବାଡିପଟେ ଥିବା ଆମ୍ବ, ଲେମ୍ବୁ ସଜନା କାନ୍ଧିଆ, ପିଜୁଳି ଇତ୍ୟାଦି ସବୁ ଗଛରେ ଭୂତମାନେ ଗୋଡହାତ ଲମ୍ବେଇ ବସିଛନ୍ତି,ଆମ ପୈତୃକପ୍ରାଣକୁ କବଳିତ କରିବାପାଇଁ।ମିଛ କଥା ଗୁଡ଼ିକ ଏମିତି ଜୀବନ୍ତ ବର୍ଣ୍ଣନା କରିବେ ଲାଗିବ ସତେ ଅବା ନିଜେ ଅଙ୍ଗେ ନିଭେଇବା କଥା ଗୁଡ଼ିକ କହୁଛନ୍ତି।ଥରେ ନାନୀ କହିଲେ..ଜାଣିଚୁ, ମୁଁ ସଞ୍ଜବେଳେ ନଈଆଡେ ଗଲାବେଳେ ବୁରୁନ୍ଦା ମା ପଛରୁ ଡାକି କହିଲା..ଏ ବାହ୍ମୁଣ ଘର ଝୁଅ,ରହ ସାଙ୍ଗ ହେଇକି ଯିବା।ତା କଥା ଶୁଣି ମୁଁ ଅଟକିଲି, ମୁଁ ଆଗେ ଆଗେ ସେ ପଛେପଛେ। କିଛି ବାଟ ଗଲାପରେ, ମଶାଣି ପାଖରେ ପଛୁକୁ ଫେରି ଯାହା ଦେଖିଲି ମୋ ହୋସ ଉଡ଼ିଗଲା।ବୁରୁନ୍ଦା ମାଆ ଯାଗାରେ ତାଳଗଛ ଉଚ୍ଚ ଗୋଟିଏ ମାଇପି ଠିଆ ହେଇଚି। ବିକଟାଳ ଚେହେରା।ବାଳ ଫୁରୁଫୁରୁ ଉଡୁଚି,ଲହଲହ ଜିଭ 👅। ତାକୁ ଦେଖି ସେଇଠି ମୋର ଚେତା ବୁଡିଗଲା।ଚେତା ପାଇଲା ପରେ ଘରକୁ ଦଉଡ଼ି ଆସି ଢାଳେ ପାଣି ଢକ ଢକ କରି ପିଇଦେଲି।” ନାନୀଙ୍କ କଥା ଶୁଣି ଆମର ସବୁ ଅବସ୍ଥା ଯାହା ହେଇଥିବ ଅନୁମେୟ।

ପ୍ରେତମାନଙ୍କ ବ୍ୟତୀତ ବିଭିନ୍ନ ଠାକୁରାଣୀ, ଜକ, ହାଡବାଈ ଏବଂ ଗୁହଚରୀ ସମ୍ବନ୍ଧୀୟ କାହାଣୀ ଶୁଣି ଶୁଣି ମନ ଭିତରେ ଡର ଅସ୍ଥି ମଜ୍ଜାଗତ ହୋଇଯାଇଥିଲା। ରାତି ହେଲେ ଗହୀର ବିଲ ଭିତରେ ଠାଏ ଠାଏ ନିଆଁ 🔥 ହୁଳା ଦେଖାଯାଏ।ବଡ଼ବଡ଼ମାନେ କହନ୍ତି “ଜକ” ବୁଲୁଛି।ତା ସହିତ କାହାଣୀ ଯୋଡ଼ି କହନ୍ତି… ଯଦି ଜଣେ ସ୍ତ୍ରୀ ଲୋକ ନଙ୍ଗଳା ହୋଇ ତାକୁ ଯାଇ ମାଡ଼ିବସିବ,ତାହେଲେ ଜକ ସୁନାମୁଣ୍ଡାରେ ପରିଣତ ହେଇଯିବ। ନାଇଁ ଯଦି ଜକ ଦୁଇଗୋଡ ସନ୍ଧି ଦେଇ ଖସିଗଲା ତା’ହେଲେ ସେ ସ୍ତ୍ରୀଲୋକର ରକ୍ତବାନ୍ତି ହୋଇ ସେହି ସ୍ଥାନରେ ମୃତ୍ୟୁ ହେବା ନିଶ୍ଚିତ।”ବାପ୍’ରେ ! କି ହରର୍ ଷ୍ଟୋରି !!
ବାସ୍ତବରେ ସେହି ନିଆଁହୁଳା ଗୁଡିକ ବିଲୁଆ ପାଟିରୁ ବାହାରୁଥିବା ଫସଫରସ୍ ବ୍ୟତୀତ ଅନ୍ୟ କିଛି ନୁହେଁ।ବିଲୁଆ ବୋବେଇଲା ବେଳେ ତା ପାଟିରେ ଥିବା ଫସଫରସ୍ ଅମ୍ଳଜାନ ସଂସ୍ପର୍ଶରେ ଆସି ନିଆଁ ହୁଳା ଭଳି ଦେଖାଯାଏ।ସେଇ ଥିଲା ଜକର ପ୍ରକୃତ କାହାଣୀ। ମୁଁ ଥରେ କିପରି ଜକ ହାବୁଡ଼ରେ ପଡ଼ି ନୟାନ୍ତ ହୋଇଥିଲି,ପରେ କେବେ କହିବି।

ସେ ସମୟରେ ହାଡବାଈ କାହାଣୀ ମଧ୍ୟ ଜୋର୍ ଧରିଥାଏ।ଲୋକେ କହୁଥିଲେ ହାଡବାଈ ଏକପ୍ରକାର ଠାକୁରାଣୀ।ସେ ଯଦି ମା’ ରୂପରେ ଘରେ ରହିବ ତାହେଲେ ଘର ଅପର୍ଯ୍ୟାପ୍ତ ଧନସମ୍ପଦରେ ଭରିଦେବ। ତାକୁ ଯଦି ଭାରିଜା ରୂପରେ ରଖିବ,ଘରେ ସମସ୍ତଙ୍କର ରୋଗବଇରାଗ ଲାଗି ରହିବ। ରାତିରେ ସମସ୍ତେ ଶୋଇବା ପରେ କୁଆଡେ଼ ହାଡବାଈ, ଧଳା ଲୁଗା ପିନ୍ଧି ହାତରେ ଦୀପଟିଏ ଧରି ଘର ଭିତରେ ବୁଲୁଥାଏ।ହାଡବାଈକୁ ମୁଁ କେବେ ଦେଖିନାହିଁ।ଅବଶ୍ୟ ଥରେ କାର୍ତ୍ତିକ ମାସରେ ଜଗନ୍ନାଥ ଦର୍ଶନ ସାରି ବୋଉ ସହିତ ଘରକୁ ଫେରିବାବେଳେ ଓଭରସିୟର’ ମଉସାଙ୍କ ଘରକୁ ଯାଇଥିଲି। ସେତେବେଳେ ମୋ ବୟସ ୬କିମ୍ବା ସାତବର୍ଷ। ତାଙ୍କଘରେ ,ବୋଉ ଓଭରସିୟର ମାଉସୀଙ୍କ ସହିତ କଥାବାର୍ତ୍ତା ହେବା ସମୟରେ ଗୋଟିଏ ସ୍ତ୍ରୀଲୋକ ଦୀପଟିଏ ଧରି ତାଙ୍କ ଅଗଣା ଚଉରା ମୂଳକୁ ଗଲା।ବୋଉ, ମାଉସୀଙ୍କୁ ତାର ପରିଚୟ ପଚାରିବା ପୂର୍ବରୁ ମାଉସୀ ଠାରରେ ତୁନି ହେବାକୁ ନିର୍ଦ୍ଦେଶ ଦେଲେ।ଆମେ ଘରକୁ ଫେରିବା ପରେ ବୋଉ କହିଥିଲା..ତାଙ୍କ ଘରେ ହାଡବାଈ ଅଛି।

ଆଉ ଗୋଟିଏ ଘଟଣା। ଥରେ ତଅଁଳା ସାଇରେ ‘ସାବିତ୍ରୀ’ ନାଟକ ଚାଲିଯାଏ।ନାଟକର ଭିଲିଏନ୍ ଗଉରା ସେହି ସାହିର ବାସିନ୍ଦା।ସେ କିଛି ଦେଶୀ ମାଲ୍ କଣ୍ଠସ୍ଥ କରି “ମଦରସିକ”ନାମକ ଭୂମିକାରେ ଅଭିନୟ କରି ରାଜା ଦ୍ୟୁମତ୍’ସେନଙ୍କ ଭାଇକୁ ଷଡ଼ଯନ୍ତ୍ରରେ ସାହାଯ୍ୟ କରୁଥାଏ।ରାଜଗଣିକା ଗାଉଥାଏ…ମଜାରେ ଯେବେ ମନ ମୋର ପ୍ରେମ ରାଜା ରେ !!” ଗୀତର ତାଳେ ତାଳେ “ମଦରସିକ” ନିଶାସକ୍ତ ପାଦ ପଡୁଥାଏ ଏବଂ ଦ୍ୟୁମତ୍’ସେନଙ୍କ ଭାଇ ଗୀତ ଓ ନୃତ୍ୟ ଉପଭୋଗ କରୁଥାନ୍ତି।

ଏହି ସମୟରେ ଗଉରାର ଘରଭିତରୁ କାନ୍ଦବୋବାଳି ଶୁଣାଗଲା।ଗଉରାର ସ୍ତ୍ରୀ କାନ୍ଦି କାନ୍ଦି କହୁଥାଏ..ମୋ ପୁଅକୁ କିଏ କୁଆଡେ ନେଇଗଲା ଲୋ ମାଆ, ମୁଁ କଣ କରିବି ?”
ସଙ୍ଗେ ସଙ୍ଗେ ନାଟକ ବନ୍ଦ୍। ବହୁତ୍ ଖୋଜା ଖୋଜି ଚାଲିଲା। କିନ୍ତୁ ୩ବର୍ଷ ବୟସର କାଳିଆ(ଗଉରାପୁଅ)ର ପତ୍ତା ମିଳିଲାନି। ସକାଳ ପର୍ଯ୍ୟନ୍ତ ଖୋଜା ଚାଲିଥାଏ।ଶେଷରେ ଗଉରାର ବାଡିଘରେ ଥିବା ଧାନଡୋଲି ପଛପଟେ, ଅଚେତ ଅବସ୍ଥାରେ ପଡିଥିବା କାଳିଆକୁ ଉଦ୍ଧାର କରାଗଲା। ସମସ୍ତଙ୍କ କହିବାକଥା ଡୋଲି ପଛପଟେ, ବାଶେଳୀ ଠାକୁରାଣୀ କାଳିଆକୁ ଗୁଞ୍ଜି ଦେଇଥିଲା। ସତ୍ୟତା ଯାହା ହଉନା କାହିଁକି,ଗଉରାର ସ୍ତ୍ରୀ ଅଭିଯୋଗ କରି କହିଥିଲା..କେତେଥର କାଳିଆ ବା’କୁ କହିଲିଣି ତାକୁ ପଣାପାଣି ଦେଇ ଘରୁ ବିଦା କରିଦିଅ,ସେ କଣ ଶୁଣୁଚନ୍ତି?”

ଖଣ୍ଡପଡ଼ାର ତତ୍କାଳୀନ ଭୌଗୋଳିକ ପରିବେଶ ମଧ୍ୟ ଡରକୁ ସୁହାଇଲା ଭଳି ଥିଲା।ଆମେ ବଡ଼ ହେବା ପର୍ଯ୍ୟନ୍ତ ଅଣଓସାରିଆ ପିଚୁ ରାସ୍ତାଟିଏ ଗଡ଼ ମୁଣ୍ଡରୁ ଶେଷ ପର୍ଯ୍ୟନ୍ତ ପଡ଼ିଥିଲା।ସେ ସମୟରେ ଖଣ୍ଡପଡ଼ାରେ କୌଣସି ସାଇ ଭିତରେ ବିଜୁଳି ଆଲୁଅ ନଥିଲା। ମୁଖ୍ୟ ରାସ୍ତାରେ ଦିକ୍ ଦିକ୍ ହୋଇ ଖୁଣ୍ଟରେ ଯେଉଁ ବିଜୁଳି ବଲବ୍ ଜଳୁଥିଲା ତାର ଆଲୁଅ ରାସ୍ତା ଉପରେ ପଡୁ ନଥିଲା। ମୁଖ୍ୟରାସ୍ତା ବଡଦାଣ୍ଡକୁ ଆମ ସାହି ସହିତ ଯୋଗ କରୁଥିବା ଗୋହିରୀଦାଣ୍ଡ ଅନ୍ଧକାର ପୂର୍ଣ୍ଣ ଓ ସର୍ପଶଙ୍କୁଳ ଥିଲା। ରାତି ହେଲେ ସେ ରାସ୍ତାରେ, ବିନା ଟର୍ଚ୍ଚରେ ଯିବାଆସିବା କରିବା ସର୍ପଦଂଶନକୁ ଗୁଆ ନଡ଼ିଆ ଦେଇ ନିମନ୍ତ୍ରଣ କରିବା ସହିତ ସମାନ ଥିଲା।”ଗୋହିରୀ ଦାଣ୍ଡ”ରେ ରାସ୍ତା ଦୁଇପାଖରେ ବଡ଼ ବଡ଼ ବାଉଁଶ ବୁଦା ଥିଲା। ଟିକିଏ ପବନ ହେଲେ କିଟ୍ କିଟ୍ ଶବ୍ଦ କରୁଥିଲା।ଥରେ ଗୋଟିଏ ଧଳା ଲୁଗା କୁଆଡୁ ଉଠିଆସି ସେହି ବାଉଁଶ ବୁଦା ଉପରେ ଲାଗିଥିଲା।ଧଳାଲୁଗା ଲାଗିଥିବା କଥା ମୋତେ ଜଣା ନଥିଲା। ଥରେ ଅନ୍ଧାର ରାତିରେ ମୁଁ ଗୋହିରୀଦାଣ୍ଡ ପାର ହେବାବେଳେ,ଫରଫର ଉଡୁଥିବା ଧଳା ଲୁଗାକୁ ଦେଖି ଲାଗିଲା ସତେ ଯେମିତି ବାଉଁଶ ବୁଦା ଭିତରେ ଡାହାଣୀ ,ଧଳାଲୁଗା ପିନ୍ଧି ନୃତ୍ୟ କରୁଛି,ମୋ ଉପରକୁ ଡେଇଁବା ପାଇଁ।

ଗୋହିରୀଦାଣ୍ଡରେ ରାସ୍ତା ଉପରେ ବିଷଧର ସାପର ଭୟ;ଆସ୍ତିକ ଆସ୍ତିକ କହି କୌଣସି ପ୍ରକାରେ ଆମେ ରାସ୍ତା ପାର ହେଉ। ମନରେ ଆମର ବିଶ୍ବାସ ଜନ୍ମାଇ ଦିଆଯାଇଥାଏ ଯେ ଆସ୍ତିକ ଆସ୍ତିକ କହିଲେ ସାପ ଦୂରେଇ ଯାଇଥାନ୍ତି। ବାସ୍ତବରେ ଏହି “ଆସ୍ତିକ”ନାମ ଉଚ୍ଚାରଣର ଗୋଟିଏ ଶାସ୍ତ୍ରୀୟ କାରଣ ରହିଛି।ପୁରାଣ ଅନୁଯାୟୀ ରାଜା ପରିକ୍ଷିତ, ତକ୍ଷକ ସର୍ପ ଦଂଶନରେ ପ୍ରାଣ ହରାଇବାରୁ ତାଙ୍କ ପୁତ୍ର ଜନ୍ମେଜୟ ଗୋଟିଏ ସର୍ପଯଜ୍ଞ ଆରମ୍ଭ କଲେ;ତକ୍ଷକଙ୍କୁ ଯଜ୍ଞକୁଣ୍ଡରେ ଆହୂତି ଦେଇ ମାରିବାପାଇଁ।ସେ ସମୟରେ “ଆସ୍ତିକ” ନାମକ ଜଣେ ଋଷି (ବାସୁକିଙ୍କ ନାତି) ହସ୍ତକ୍ଷେପ କରି ତକ୍ଷକଙ୍କ ଜୀବନ ବଞ୍ଚାଇଥିଲେ।ସର୍ପରାଜ ତକ୍ଷକଙ୍କର ତାଙ୍କ ପ୍ରତି ଗଭୀର ସମ୍ମାନ ରହିଥିଲା। ସେଥିପାଇଁ ଆସ୍ତିକଙ୍କ ନାମ ଉଚ୍ଚାରଣ କଲେ ସାପମାନେ ଦଂଶନ କରନ୍ତି ନାହିଁ ବୋଲି ବିଶ୍ବାସ।ଆସ୍ତିକ ଆସ୍ତିକ କହି ଗୋହିରୀଦାଣ୍ଡ ପାର ହେବାବେଳେ ଛାତି ଧଡ଼ଧଡ ହୁଏ,ପାର ହେଲାପରେ ଗଡ଼ ଜିଣିଲାପରି ଲାଗେ।

ତତ୍କାଳୀନ ଖଣ୍ଡପଡାରେ ଠାକୁରାଣୀ ମାନଙ୍କର ପୂଜା ସାଧାରଣତଃ ତଅଁଳା ସାହିର ଜାନିମାନେ କରନ୍ତି।ବେଳେ ବେଳେ ଜାନି ଦେହରେ ଠାକୁରାଣୀ ଲାଗନ୍ତି। ସାଧାରଣତଃ ବାଡି(ହଇଜା) ଏବଂ ଠାକୁରାଣୀ(ବସନ୍ତ/ହାଡଫୁଟି)ପଡ଼ିବା ସମୟରେ ଜାନିକୁ ଠାକୁରାଣୀ ଲାଗନ୍ତି।ପଣାପାଣି ଓ ବଳିଭୋଜା ଖାଇ ଠାକୁରାଣୀ ସନ୍ତୁଷ୍ଟ ହୁଅନ୍ତି।ଜାନି ବ୍ୟତୀତ ଅନ୍ୟ ସ୍ତ୍ରୀ ଲୋକଙ୍କ ଦେହରେ ମଧ୍ୟ ଠାକୁରାଣୀ ଲାଗନ୍ତି।ବାଳ ମୁକୁଳା କରି ଅର୍ଦ୍ଧ ନଗ୍ନ ଅବସ୍ଥାରେ ସେ ଏମିତି ନାଚନ୍ତି,ଶିବଙ୍କ ତାଣ୍ଡବ ନୃତ୍ୟ ତା ପାସାଙ୍ଗରେ ପଡିବ ନାହିଁ।
କ୍ରମଶଃ…

Click to rate this post!
[Total: 0 Average: 0]

Leave a Reply