Saturday, May 4, 2024
Devotional Poems

ଗୀତାଜ୍ଞାନ(୩)

ଗୀତା ଜ୍ଞାନ (୩)
================
ଶ୍ରୀମଦ୍ଭଗବଦ୍ଗୀତା
ପ୍ରଥମ ଅଧ୍ୟାୟ
ଅର୍ଜୁନବିଷାଦଯୋଗ
ଭାବାନୁବାଦ
(ଶ୍ଳୋକ ସଂଖ୍ୟା ୧୫ ରୁ ୨୩)
==================================
“ପୌଣ୍ଡ୍ର” ଶଙ୍ଖ ଧ୍ୱନି କଲେ ଭୀମ ପୁଣି
“ଦେବଦତ୍ତ” ଯେ ଅର୍ଜୁନ,
‘ପାଞ୍ଚଜନ୍ୟ’ ଧରି ସ୍ବୟଂ ନରହରି
କରିଲେ ଉଚ୍ଚେ ବାଦନ

“ଅନନ୍ତବିଜୟ” ଶଙ୍ଖ ବଜାଇଲେ
ଯୁଧିଷ୍ଠିର ଜ୍ୟେଷ୍ଠ ଭ୍ରାତ,
ସୁଘୋଷ,ମଣିପୁଷ୍ପକ ଶଙ୍ଖ ଧ୍ୱନି
କଲେ ବେନି ମାଦ୍ରୀସୁତ। ##

କାଶି ନରବର ଶିଖଣ୍ଡି ଆବର
ସାତ୍ୟକି, ରାଜା ଦ୍ରୁପଦ,
କୃଷ୍ଣା ପାଞ୍ଚପୁତ୍ର, ସୁଭଦ୍ରାଙ୍କ ସୁତ ₹
କଲେ ଉଚ୍ଚେ ଶଙ୍ଖ ନାଦ।

ପାଣ୍ଡବ ବାହିନୀ ଶଙ୍ଖନାଦ ଶୁଣି
ଧରା ହେଲା ଥରହର,
କମ୍ପିଲା ଆକାଶ ସୃଷ୍ଟି କଲା ତ୍ରାସ
ହୃଦୟେ ଦୁର୍ଯ୍ୟୋଧନର।

ଯେଉଁ ସମୟରେ ଏ ମହାନାଟକ
ପ୍ରସ୍ତୁତି ହୋଇଲା ପୂର୍ଣ୍ଣ,
ନିଜ ସମକ୍ଷରେ ବିଲୋକି ବ୍ୟୁହରେ +
ଅଧର୍ମୀ କୌରବ ସୈନ୍ୟ।

କହିଲେ ଅର୍ଜୁନ ଆହେ ଜନାର୍ଦ୍ଦନ
ବେନି ସୈନ୍ୟମଧ୍ୟେ ନେଇ,
ରଥକୁ ମୋହର ରଖ ଚକ୍ରଧର
ଦୟାକରି ଯଦୁସାଇଁ।

ଏହି ଧର୍ମକ୍ଷେତ୍ରେ ବିରାଜିତ ଯେତେ
ସବୁ ଯୁଦ୍ଧକାମୀ ବୀର,
ଯା’ ସହିତ ରଣ ହେବ ନାରାୟଣ
ଦେଖିବି ମୁଖ ତାଙ୍କର।

ଦୁର୍ଯ୍ୟୋଧନ ପାଇଁ ହିତାକାଂକ୍ଷୀ ହୋଇ
ଯେଉଁ ନରପତିଗଣ,
ହୋଇ ଏକତ୍ରିତ ଏଥି ଉପଗତ
କରିବି ତାଙ୍କୁ ଦର୍ଶନ।

(ଶ୍ଳୋକ ସଂଖ୍ୟା ୧୫ ରୁ ୨୩)
===================================
ଟୀକା:——-
## ପୌଣ୍ଡ୍ର… ଭୀମସେନଙ୍କ ଶଙ୍ଖର ନାମ
ଦେବଦତ୍ତ….ଅର୍ଜୁନଙ୍କ ଶଙ୍ଖର ନାମ
ପାଞ୍ଚଜନ୍ୟ… ଶ୍ରୀକୃଷ୍ଣଙ୍କ ଶଙ୍ଖ
ଅନନ୍ତବିଜୟ… ଯୁଧିଷ୍ଠିରଙ୍କ ଶଙ୍ଖ
ସୁଘୋଷ ଓ ମଣିପୁଷ୍ପକ… ଯଥାକ୍ରମେ ନକୁଳ ଓ ସହଦେବଙ୍କ ଶଙ୍ଖ।
₹ ସୁଭଦ୍ରା ସୁତ…. ଅଭିମନ୍ୟୁ
+ ବିଲୋକି….ଦେଖି
===================================
ଅନ୍ତଃଦୃଷ୍ଟି
========
ଏହି ଅଧ୍ୟାୟରେ ଶ୍ଲୋକ ସଂଖ୍ୟା ୧୫ ରୁ ୨୩ ଭିତରେ ପାଣ୍ଡବ ପକ୍ଷର ବୀର ମାନଙ୍କର ଶଙ୍ଖ ମାନଙ୍କର ନାମ ବର୍ଣ୍ଣନା କରି ସେଗୁଡିକର ଧ୍ବନି କିପରି କୌରବ ସୈନ୍ୟମାନଙ୍କ ହୃଦୟରେ ଭୟ ସୃଷ୍ଟି କରିଛି ତାହା ମୁଖ୍ୟତଃ ବର୍ଣ୍ଣନା କରାଯାଇଛି। ଏଠାରେ ପ୍ରଶ୍ନ ଉଠିବା ସ୍ବଭାବିକ ଯେ ଗ୍ରନ୍ଥକାର କେବଳ ପାଣ୍ଡବ ପକ୍ଷର ବୀରମାନଙ୍କର ଶଙ୍ଖର ନାମ ଏବଂ ଧ୍ବନି ବିଷୟ କାହିଁକି ବର୍ଣ୍ଣନା କରିଛନ୍ତି।

ଏହା ଧର୍ମଯୁଦ୍ଧର ପ୍ରାରମ୍ଭ ଏବଂ ଧର୍ମପଥଗାମୀ ମହାବୀର ମାନଙ୍କ ଶଙ୍ଖଧ୍ୱନି ମାଧ୍ୟମରେ ଅଧର୍ମୀଙ୍କ ହୃଦୟରେ ଭୟ ସୃଷ୍ଟି କରାଇବା ହିଁ ଗ୍ରନ୍ଥକାରଙ୍କ ଉଦ୍ଦେଶ୍ୟ।

ଅର୍ଜୁନ ଜଣେ ଭାବାବେଗପୂର୍ଣ୍ଣ ଧର୍ମପରାୟଣ ବ୍ୟକ୍ତି। ଶ୍ରୀକୃଷ୍ଣଙ୍କ କଳାନେଇ ଜନ୍ମ ହୋଇଥିବାରୁ ତାଙ୍କର ଅନ୍ୟନାମ ଦିତିକୃଷ୍ଣ।ନର-ନାରାୟଣଙ୍କର ଅପୂର୍ବ ସଂଯୋଗ ଘଟିଛି ମହାଭାରତ କାଳରେ। ଗୀତା ମାଧ୍ୟମରେ ଅର୍ଜୁନଙ୍କୁ ଶ୍ରୀକୃଷ୍ଣ ଯେଉଁ ସମସ୍ତ ଉପଦେଶ ଦେଇଛନ୍ତି ତାର ଉଦ୍ଦେଶ୍ୟ ମୋହଯୁକ୍ତ ମନୁଷ୍ୟର ମୋହ ଭଙ୍ଗକରି ଉଚିତ ମାର୍ଗ ପ୍ରଦର୍ଶନ କରାଇବା। ଏହି ଶ୍ଳୋକ ପରଠାରୁ ଆରମ୍ଭ ହୋଇଛି ନର-ଅର୍ଜୁନଙ୍କର ମୋହଯୁକ୍ତ ବିଷାଦ ଏବଂ ନାରାୟଣରୂପୀ ଶ୍ରୀକୃଷ୍ଣଙ୍କର ମୋହଭଙ୍ଗ ପ୍ରୟାସ।

କ୍ରମଶଃ…..

Click to rate this post!
[Total: 0 Average: 0]

Leave a Reply