ନୀଳାଚଳ ବାସୀ ଶ୍ରୀଜଗନ୍ନାଥ (୧୧)
ନୀଳାଚଳବାସୀ ଶ୍ରୀଜଗନ୍ନାଥ
ଭାଗ ୧୧
ନୀଳମାଧବଙ୍କ ମୁଖରେ ପୁରୁଷୋତ୍ତମ କ୍ଷେତ୍ରର ବର୍ଣ୍ଣନା
==============================
ମହର୍ଷି ବେଦବ୍ୟାସ ୧୮ ଖଣ୍ଡ ପୁରାଣ ଲେଖି ଯାଇଛନ୍ତି। ସେହି ସବୁ ପୁରାଣ ମଧ୍ୟରେ ସ୍କନ୍ଦପୁରାଣ ଅନ୍ୟତମ।ସ୍କନ୍ଦପୁରାଣରେ କାଶୀଖଣ୍ଡ,ଉତ୍କଳଖଣ୍ଡ ଇତ୍ୟାଦି ୬ଗୋଟି ଖଣ୍ଡ ରହିଛି। ସେହି ଉତ୍କଳଖଣ୍ଡରେ ଅଠାବନଟି ଅଧ୍ୟାୟ ମାଧ୍ୟମରେ ଶ୍ରୀପୁରୁଷୋତ୍ତମ କ୍ଷେତ୍ରର ବର୍ଣ୍ଣନା କରାଯାଇଛି। ସ୍କନ୍ଦପୁରାଣର ଆରମ୍ଭ ଏହିପରି..ଶିବ ପ୍ରଥମେ ସ୍କନ୍ଦ ବା କାର୍ତ୍ତିକେୟଙ୍କ ଆଗରେ ପୁରୁଷୋତ୍ତମ କ୍ଷେତ୍ର ଏବଂ କାଶୀକ୍ଷେତ୍ର ଇତ୍ୟାଦି ସମ୍ବନ୍ଧରେ ବର୍ଣ୍ଣନା କରିଥିଲେ।ପରେ କାର୍ତ୍ତିକେୟ ମନ୍ଦର ପର୍ବତ ଉପରେ ବସି ସିଦ୍ଧ, ଋଷି ଓ ଦେବଗଣଙ୍କୁ ସେହି ଜ୍ଞାନ ବିତରଣ କରିଥିଲେ। ସେମାନଙ୍କ ମଧ୍ୟରେ ଉପସ୍ଥିତ ଥିବା ମହର୍ଷି ଜୈମିନୀ ପରେ ମର୍ତ୍ତ୍ୟଲୋକରେ ଋଷିମାନଙ୍କ ଆଗରେ ତାହା ବର୍ଣ୍ଣନା କରିଥିଲେ।
ସ୍କନ୍ଦପୁରାଣ ଅନୁଯାୟୀ ବ୍ରହ୍ମଦେବ ସୃଷ୍ଟି କାର୍ଯ୍ୟ ଶେଷ କରିବା ପରେ ସୃଷ୍ଟିର ଆଧିଭୌତିକ,ଆଧ୍ୟାତ୍ମିକ ଏବଂ ଆଧିଦୈବିକ ତିନି ତାପ/ ସମସ୍ୟା ଦେଖି ସୃଷ୍ଟିଭାରରେ ନିଜକୁ ଭାରାକ୍ରାନ୍ତ ମନେକଲେ। ଏହାର ସମାଧାନ/ମୁକ୍ତିମାର୍ଗ ଜାଣିବାପାଇଁ ସେ ସ୍ବୟଂ ନାରାୟଣଙ୍କର ଶରଣ ଗଲେ।ବ୍ରହ୍ମଦେବଙ୍କ ତପସ୍ୟାରେ ସନ୍ତୁଷ୍ଟ ହୋଇ ମହାବିଷ୍ଣୁ ସ୍ବୟଂ ପ୍ରକଟିତ ହେଲେ। ବିଷ୍ଣୁଙ୍କର ନୀଳମେଘ ସଦୃଶ ଶ୍ୟାମଳ ଶରୀର, ଚତୁର୍ଭୁଜରେ ଶଙ୍ଖ ଚକ୍ର ଗଦା ଏବଂ ପଦ୍ମ ଦେଖି ବ୍ରହ୍ମଦେବ କୃତାଜ୍ଞଳିପୁଟରେ ପ୍ରଣାମ କଲେ। ବିଷ୍ଣୁ ବ୍ରହ୍ମାଙ୍କୁ କହିଲେ..ମୋର ମାୟା ଅନାଦି ଏବଂ ସ୍ବଭାବସିଦ୍ଧ।ସେ ମାୟା୍ ଏତେ ସୁଦୃଢ ଯେ ତାକୁ ଅତିକ୍ରମ କରିବା ଜୀବଜଗତ ପାଇଁ ସମ୍ଭବ ନୁହେଁ । ପୁ୍ନଶ୍ଚ ପ୍ରାଣୀର କର୍ମବନ୍ଧନ ଦ୍ବାରା ମଧ୍ୟ ସେହି ମାୟା ସୁଦୃଢ। ସେହି ମାୟାର ଅଧୀନରେ ଥିବାପର୍ଯ୍ୟନ୍ତ ଜୀବର ଜନ୍ମ ଓ ମୃତ୍ୟୁ ଅନିବାର୍ଯ୍ୟ। କିନ୍ତୁ ପୁରୁଷୋତ୍ତମ କ୍ଷେତ୍ର ଏହି ମାୟାର ଅଧୀନ ନୁହେଁ। ପୁରୁଷୋତ୍ତମ କ୍ଷେତ୍ରକୁ ଯାଇ ନୀଳମାଧବଙ୍କୁ ଦର୍ଶନ କଲେ ପ୍ରାଣୀ କର୍ମବନ୍ଧନରୁ ମୁକ୍ତିଲାଭ କରିପାରିବ।
ମର୍ତ୍ତ୍ୟଲୋକରେ ଦକ୍ଷିଣ ମହୋଦଧି ତଟରେ ଯେଉଁ ନୀଳପର୍ବତ ଅଛି ତାହା ପୃଥିବୀରେ ମୋର ଗୋପନୀୟ ସ୍ଥାନ। ମୁଁ ସର୍ବସଙ୍ଗ ତ୍ୟାଗକରି ସେହି କ୍ଷେତ୍ରରେ ଶରୀର ଧାରଣ କରି ନିତ୍ୟ ଅବସ୍ଥାନ କରୁଛି।ମୋର ନାମ ଅନୁସାରେ ଏହି କ୍ଷେତ୍ରର ନାମ “ପୁରୁଷୋତ୍ତମ କ୍ଷେତ୍ର”। ଏହି କ୍ଷେତ୍ର ସୃଷ୍ଟି କିମ୍ବା ପ୍ରଳୟ ଦ୍ବାରା ପ୍ରଭାବିତ ହୁଏନାହିଁ। ବର୍ତ୍ତମାନ ତୁମେ ମୋର ଯେଉଁ ଶଙ୍ଖ,ଚକ୍ର,ଗଦା ପଦ୍ମ ବିମଣ୍ଡିତ ନୀଳମେଘକାନ୍ତିର ଶ୍ୟାମଳ ଶରୀର ଦର୍ଶନ କରୁଛ, ପୁରୁଷୋତ୍ତମ କ୍ଷେତ୍ରକୁ ଯାଇ ମଧ୍ୟ ମୋର ସେହି କଳେବର ଦର୍ଶନ କରିବ।
ସେଠାରେ ନୀଳପର୍ବତର ମଧ୍ୟ ଭାଗରେ ଅକ୍ଷୟ/କଳ୍ପ ବଟବୃକ୍ଷ ରହିଛି। ସେହି ବୃକ୍ଷର ବାୟୁ କୋଣରେ ଅବସ୍ଥିତ ରୋହିଣୀ କୁଣ୍ଡ ତଟରେ ଜୀବମାନେ ନିଜ ନିଜର ଚର୍ମଚକ୍ଷୁରେ ମୋତେ ଦର୍ଶନ କରିପାରିବେ। କୁଣ୍ଡ ଜଳରେ ସ୍ନାନ କଲେ ସମସ୍ତ ପାପରୁ ମୁକ୍ତିଲାଭ କରି ପ୍ରାଣୀ ପବିତ୍ର ହୁଅନ୍ତି।ମୋର ମାୟା ଦ୍ବାରା କ୍ଷେତ୍ରଟି ଗୁପ୍ତ ରହିଥିବାରୁ ଶ୍ରୁତି, ସ୍ମୃତି ଓ ଇତିହାସ ମାନଙ୍କରେ ମଧ୍ୟ ଏହା ଅଗୋଚର। ସେଠାରେ ପହଞ୍ଚି ସେ କ୍ଷେତ୍ରର ପରମ ମହିମା ତୁମେ ଜାଣିପାରିବ। ମୁଁ ତୁମ ଉପରେ ପ୍ରସନ୍ନ ବ୍ରହ୍ମଦେବ; ତେଣୁ ଜଗତରେ ଏହି କ୍ଷେତ୍ରର ମାହାତ୍ମ୍ୟ ତୁମ୍ଭ ଦ୍ବାରା ଆଶ୍ଚର୍ଯ୍ୟ ଜନକ ଭାବରେ ପ୍ରକାଶିତ ହେବ। ଅର୍ଥାତ୍ ଏହି କ୍ଷେତ୍ର ଜଗତ ପାଇଁ ଆଉ ଗୋପନୀୟ ହୋଇ ରହିବନାହିଁ।”
ମହାବିଷ୍ଣୁଙ୍କ ଠାରୁ ନୀଳପର୍ବତସ୍ଥିତ ନୀଳମାଧବଙ୍କର ଏଭଳି ବର୍ଣ୍ଣନା ଶୁଣି ବ୍ରହ୍ମଦେବ ପୁରୁଷୋତ୍ତମ କ୍ଷେତ୍ରରେ ପହଞ୍ଚିଲେ।
ସେଠାରେ ପହଞ୍ଚି ଗୁପ୍ତକ୍ଷେତ୍ରର ମାହାତ୍ମ୍ୟ ଦେଖି ନୀଳମାଧବ ମୂର୍ତ୍ତିଙ୍କୁ ସ୍ମରଣ କରି ଧ୍ୟାନମଗ୍ନ ହେଲେ। ସେହି ସମୟରେ ହଠାତ୍ ସେଠାରେ ଯମରାଜ ବ୍ୟାକୁଳିତ ଚିତ୍ତରେ, ଦୀର୍ଘ ନିଃଶ୍ବାସ ପକାଇ ପହଞ୍ଚିଲେ।ମନରେ ତାଙ୍କର ଆଶଙ୍କା, ଏହି କ୍ଷେତ୍ରରେ ନୀଳମାଧବଙ୍କୁ ଦର୍ଶନ କରି ପ୍ରାଣୀ ଯେବେ ଭବ ବନ୍ଧନରୁ ମୁକ୍ତି ପାଇଯିବେ ତାହେଲେ ପ୍ରାଣୀଙ୍କ ଜୀବନ ଉପରେ ଯମଙ୍କର କଣ ଅଧିକାର ରହିବ ?ନିଜ ଅଧିକାରର ସୁରକ୍ଷା ପାଇଁ ଯମରାଜ ବିଷ୍ଣୁଙ୍କୁ ସ୍ତବ କଲେ। ବିଷ୍ଣୁ,ଲକ୍ଷ୍ମୀଙ୍କୁ ନିର୍ଦ୍ଦେଶ ଦେଲେ ଯମଙ୍କୁ କ୍ଷେତ୍ରର ମାହାତ୍ମ୍ୟ ବିଷୟରେ ବୁଝାଇବା ପାଇଁ।
ଶ୍ରୀଲକ୍ଷ୍ମୀ କହିଲେ.. ପୁରୁଷୋତ୍ତମ କ୍ଷେତ୍ର ଆମ୍ଭ ଦୁହିଙ୍କର(ଲକ୍ଷ୍ମୀ, ନାରାୟଣ)କ୍ଷେତ୍ର।କଳ୍ପ ଅବସାନ ପରେ ମଧ୍ୟ ଏହି ସ୍ଥାନକୁ ଆମେ ଦୁହେଁ ଛାଡି ପାରିବୁ ନାହିଁ ଏବଂ ଯମ ଏଠାରେ ନିଜର ଆଧିପତ୍ୟ ବା ଅଧିକାର ସାବ୍ୟସ୍ତ କରିପାରିବେ ନାହିଁ। ଏହି କ୍ଷେତ୍ରରେ ମନୁଷ୍ୟ ଏବଂ ପଶୁପକ୍ଷୀମାନଙ୍କର ପାପରାଶି ଅଗ୍ନିରେ ତୁଳା ଭଳି ଜଳିଯିବ।
(କୁଳମଣି ଷଡଙ୍ଗୀ)